ADS

ଆସୁଛି ଲଘୁଚାପ : ଆସନ୍ତା ୩ରୁ ପ୍ରବଳ ବର୍ଷା , ଫୁଲିପାରେ ନଦୀ

ଭୁବନେଶ୍ୱର ୦୧।୦୮: ଆସନ୍ତା ସପ୍ତାହରେ ରାଜ୍ୟରେ ଭୀଷଣ ବର୍ଷା ହେବ। ଅଗଷ୍ଟ ୩ ତାରିଖରୁ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଶନିବାରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ରବିବାରଠୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଅଗଷ୍ଟ ୩ ସୁଦ୍ଧା ଏହି ଲଘୁଚାପ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଏଥିସହିତ ଅଗଷ୍ଟ ୪ରେ ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟ ଏକ ଲଘୁଚାପ ଏହି ଲଘୁଚାପ ସହ ମିଶିଯିବାର ସମ୍ଭାବନା ରହିଛି। ଫଳରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି। ସମ୍ଭାବିତ ଲଘୁଚାପର ପ୍ରଭାବରେ ଅଗଷ୍ଟ ୩ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାବଳେ ଅଗଷ୍ଟ ୫ ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ଓ ଘଡ଼ଗଡ଼ି ସହ ଝଡ଼ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହେବା ସହ ୫ ତାରିଖରୁ ଗଭୀର ସମୁଦ୍ରକୁ ଯିବା ପାଇଁ ଧୀବରଙ୍କୁ ବାରଣ କରାଯାଇଛି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପୂର୍ବ ଆକଳନ ମୁତାବକ ୪ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ୨୪ ଘଣ୍ଟା ପରେ ପଶ୍ଚିମ ଆଡ଼କୁ ସ୍ଥଳ ଭାଗକୁ ମୁହାଁଇବ । ଫଳରେ ରାଜ୍ୟରେ ୫ ତାରିଖରେ ଓଡ଼ିଶା, ଛତିଶଗଡ଼ ସଂଲଗ୍ନ ମହାରାଷ୍ଟ୍ରର ସ୍ଥଳ ଭାଗ ଉପରେ ଲଘୁଚାପ ସୃଷ୍ଟି ହେବ । ଏହା ଫଳରେ ରାଜ୍ୟରେ ୩ରୁ ୬ ତାରିଖ ବର୍ଷା ହେବ । ୫ ତାରିଖରେ ରାଜ୍ୟର ଅନେକ ଜାଗାରେ ଭାରି ବର୍ଷା ହେବ ।

୩ ଓ ୬ ତାରିଖରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୪ ତାରିଖ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ୩ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ ସମୁଦାୟ ବର୍ଷା ହାରାହାରି ୧୨୦ ମିଲିମିଟରରୁ ଅଧିକ ହୋଇପାରେ । ରାଜ୍ୟରେ ପ୍ରାୟତଃ ବନ୍ଦ ରହିଥିବା ଚାଷକାମ ଆଗକୁ ଯିବ । ରାଜ୍ୟର ସମସ୍ତ ନଦୀର ଉପରମୁଣ୍ଡରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ନଦୀ ମଧ୍ୟ ଫୁଲିବାର ସମ୍ଭାବନା ରହିଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସବୁଠୁ କମ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।



from Prameya News7

Comments

Popular posts from this blog